କନ୍ଧମାଳରେ ଶକ୍ତିପୂଜା : ଅଧ୍ଯାପକ ଚିତ୍ତରଞ୍ଜନ ମିଶ୍ର


ପୂଜା’ ଶବ୍ଦର ଅର୍ଥ କୃତଜ୍ଞତା। ସୃଷ୍ଟିତତ୍ତ୍ୱକୁ ବୁଝି, ଜୀବନ ଧାରଣ ପାଇଁ ସହାୟକ ହେଉଥିବା ପ୍ରକୃତିର ସମସ୍ତ ଉପାଦାନକୁ ମନୁଷ୍ୟ ପୂଜା କରିବାକୁ ଲାଗିଲା ବା ନିଜର କୃତଜ୍ଞତା ଜ୍ଞାପନ କଲା । ମନୁଷ୍ୟ ବଞ୍ଚିବାରେ ଅତି ନିକଟରୁ ସହାୟକ ହେଉଥିବା ଉପାଦାନଟି ହେଉଛି ‘ମାଟି’ । ଏକଥା ଆର୍ଯ୍ୟ ଏବଂ ଅନାର୍ଯ୍ୟ ସମସ୍ତେ ଉପଲବ୍ଧି କଲେ ଏବଂ ‘ମାଟିକୁ’ ‘ମାଆ’ ରୂପେ ପୂଜା କରିବାକୁ ଲାଗିଲେ। ତେଣୁ ‘ମାତୃପୂଜା’ ବା ‘ଶକ୍ତିପୂଜା’ ହିଁ ସୃଷ୍ଟିର ଆଦ୍ୟ ପୂଜା ଭାବେ ସର୍ବଜନବିଦିତ। ପରବର୍ତ୍ତୀ ପର୍ଯ୍ୟାୟରେ ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ବାୟୁ, ନଦୀ, ପର୍ବତ, ସମୁଦ୍ର, ବୃକ୍ଷ, ପଶୁ, ପକ୍ଷୀ ଇତ୍ୟାଦିଙ୍କ ସହାୟତାକୁ ଉପଲବ୍ଧି କରି ପ୍ରକୃତି ପୂଜାର ପରମ୍ପରା ସୃଷ୍ଟି ହେଲା ।



ଆର୍ଯ୍ୟ ସଂସ୍କୃତିର ପୂଜା ମୁଖ୍ୟତଃ ଦୁଇପ୍ରକାର । ଯଥା- (୧) ମନ୍ତ୍ରପୂଜା (୨) ତନ୍ତ୍ରପୂଜା । ମନ୍ତ୍ରପୂଜା ଦ୍ୱାରା ଦେବଦେବୀଙ୍କୁ ସନ୍ତୁଷ୍ଟ କରି ଆଶୀର୍ବାଦ ଭିକ୍ଷା କରାଯାଏ କିନ୍ତୁ ତନ୍ତ୍ରପୂଜା ଦ୍ୱାରା ବଳି, ମଦ, ମାଂସ ଅର୍ପଣ ପୂର୍ବକ ଦେବାଦେବୀଙ୍କୁ ବଶୀଭୁତ କରି ଆଶୀର୍ବାଦ ଆଦାୟ କରାଯାଏ। ଅନୁମାନ କରାଯାଏ ଯେ ଆର୍ଯ୍ୟ ସଂସ୍କୃତିର ଉଭୟ ପୂଜାର ପ୍ରଭାବ ଯଦିବା ଆଦିବାସୀ ସମାଜ ଉପରେ ପଡିନାହିଁ। ତଥାପି ସେମାନଙ୍କ ପୂଜାରେ ତନ୍ତ୍ର ପୂଜାର ଶୈଳୀ ପରିଲକ୍ଷିତ ହୁଏ । ସେମାନଙ୍କ ଅଧିକାଂଶ ପୂଜାରେ ବଳିଭୋଗ, ମଦ ଏବଂ ମାଂସ ସମର୍ପଣର ବିଧି ରହିଥିବା ନିମ୍ନଗୀତରୁ କିଛି ସୂଚନା ମିଳିଥାଏ ।


ଘରେ ଓ ବାହାରେ ପୂଜା ପାଇଁ ଅବା

ସାମାଜିକ ଭୋଜି ପାଇଁ

କନ୍ଧ ମଦ ଲୋଡେ ଘରେ ନଥିଲେ ଯେ

ବାହାରକୁ ଯାଏ ଧାଇଁ

ପୁଣି ଦଶା ଏଡିବାକୁ

ସିଦ୍ଧି ମାୟୀ ରକ୍ତ ଦେଲେ ପ୍ରଥମରେ

ମାଟି ମାଆ ଦେବତାଙ୍କୁ’ ।

‘ମାଟିପୂଜା’ ବା ‘ଧରଣୀପେନୁ’ ପୂଜା ଆଦିବାସୀମାନଙ୍କର

ଏକ ପ୍ରଧାନ ପର୍ବ । କାରଣ-

‘ଯୁଗ ଯୁଗ ଧରି ଏହି କାନ୍ଧମାନେ

ମାଟିକୁ ଆଶ୍ରୟ କରି

ରହି ଆସିଛନ୍ତି ବଣ ପାହାଡରେ

ବାଘ ଭାଲୁଙ୍କୁ ନଡରି’

(ଅଧିଶ୍ୱର ମଲ୍ଲିକ ରଚିତ ଏବଂ ଜଳନ୍ଧର କହଁର,

ଫିରିଙ୍ଗିଆଙ୍କଠାରୁ ସଂଗୃହୀତ ।)


ତେଣୁ ‘ମାଟି’ ବା ‘ଧରଣୀପେନୁ’ ପ୍ରତି ସେମାନଙ୍କର ଏକ ସ୍ୱତନ୍ତ୍ର ଭୟ ଏବଂ ଭକ୍ତି ରହିଛି। ପ୍ରତ୍ୟେକ କନ୍ଧ ଗ୍ରାମରେ 'ଧରଣୀପେନୁ’ ପାଇଁ ପୂଜା ପୀଠଟିଏ ସେମାନେ ବନେଇଥାନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଦାର୍ନିପେନୁ ବା ଗ୍ରାମଦେବତୀ ପୂଜା ପରମ୍ପରା ସୃଷ୍ଟି ହେଉଥିବା ଦେଖାଯାଏ । ସେମାନେ ବାସ କରୁଥିବା ଅଞ୍ଚଳର ସୁରକ୍ଷା ପାଇଁ ସଦା ପ୍ରସ୍ତୁତ ରହିଥାନ୍ତି । ନିଜକୁ ବଳଶାଳୀ ଏବଂ ଶକ୍ତିଶାଳୀ କରିବା ପାଇଁ ସେମାନେ ମଦ, ମାଂସ ଭକ୍ଷଣ କରିଥାନ୍ତି । କିନ୍ତୁ ଭକ୍ଷଣ ପୂର୍ବରୁ ସେମାନେ ମାଟିମାଆକୁ ସମର୍ପଣ କରି ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି। 


'ବିଶ୍ୱାସ ଥିଲା ଯେ କନ୍ଧମାନଙ୍କର

ମଦମାଂସ ନଖାଇଲେ

ଅନ୍ୟ ମୁଠା ସଙ୍ଗେ ଲଢି ନପାରିବେ

ଯୁଦ୍ଧ ଡାକରା ପାଇଲେ ।’

(ଅଧିଶ୍ୱର ମଲ୍ଲିକ)


କ୍ରମେ କ୍ରମେ ଦେବୀଙ୍କ ପ୍ରତୀକ ରୂପେ ବିଭିନ୍ନ ଗ୍ରାମରେ ଶିଳାଖଣ୍ଡ ବା କାଷ୍ଠ ସ୍ତମ୍ଭ ସ୍ଥାପନ କରି ବିଭିନ୍ନ ନାମରେ ପୂଜାର୍ଚ୍ଚନା ଆରମ୍ଭ ହେଲା । ଏହି ସ୍ତମ୍ଭ ପୂଜାରୁ ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ୱରୀଙ୍କ ସୃଷ୍ଟି ହେଉଥିବା ଅନୁମାନ କରାଯାଏ । ଏତଦ୍‌ବ୍ୟତୀତ କନ୍ଧମାନେ ନିଜ ରାଜାଙ୍କୁ ଯଥେଷ୍ଟ ସମ୍ମାନ ଦେଇଥାନ୍ତି । ଏହାର ଏକ ବଳିଷ୍ଠ ପ୍ରମାଣ ହେଉଛି ମାଆ ବରାଳ ଦେବୀ ବା ବରାଳୀଙ୍କୁ କନ୍ଧମାଳର ଅଧିଷ୍ଠାତ୍ରୀ ଦେବୀ ଭାବେ ଗ୍ରହଣ କରିବା । ମାଆ ‘ବରାଳଦେବୀ’ ହେଉଛନ୍ତି ଖେମୁଣ୍ଡି ରାଜାଙ୍କର ପରମାରାଧ୍ୟା ମାଆ ‘ବଡରାହୁଳ’ ଦେବୀ । ସମୟକ୍ରମେ ‘ବଡ ରାହୁଳ ଦେବୀ’ ପଦଟି ଅପଭ୍ରଂଶ ହେଉ ବା ଉଚ୍ଚାରଣଗତ ଭ୍ରମହେଉ ‘ବରାଳଦେବୀ’ ହୋଇଥିବା ଅନୁମାନ କରାଯାଏ । ଖେମୁଣ୍ଡି ଗଙ୍ଗବଂଶ ଯେତେବେଳେ ସାମ୍ରାଜ୍ୟ ବିସ୍ତାର କରି କନ୍ଧମାଳର ମହାସିଙ୍ଗି ପର୍ଯ୍ୟନ୍ତ ଅଧିକାର କଲେ। ମହାସିଙ୍ଗିଠାରେ ମାଆ ‘ବଡ ରାହୁଳ’ ଈଷ୍ଟଦେବୀଙ୍କୁ ସୀମା ସୁରକ୍ଷାକାରିଣୀ ଭାବେ ସ୍ଥାପନା କରି ପୂଜା କରୁଥିଲେ । ବୌଦ୍ଧ ରାଜା ବାରମ୍ବାର ଆକ୍ରମଣ କରି ସୁଦ୍ଧା ଖେମୁଣ୍ଡିସୀମା ଅତିକ୍ରମ କରି କନ୍ଧମାଳର ଖେମୁଣ୍ଡି ଶାସିତ ଅଞ୍ଚଳରେ ପ୍ରବେଶ କରିପାରିନଥିଲେ । କିମ୍ବଦନ୍ତୀ କହେ ମାଆ ବରାଳଦେବୀଙ୍କ ଶରଣାପନ୍ନ ହୋଇ ବୌଦ୍ଧରାଜା, ଖେମୁଣ୍ଡିରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲେ । ମାଆଙ୍କ ଆଶୀର୍ବାଦରୁ ବିଜୟଲାଭ କରିଥିବାରୁ ସେ ବୌଦ୍ଧଗଡକୁ ମାଆଙ୍କୁ ନେଇଯିବାକୁ ଇଚ୍ଛାପ୍ରକାଶ କରିଥିଲେ। ସୁଦନ କହଁରଙ୍କ ଦ୍ୱାରା ରଚିତ ପୁସ୍ତକ ‘କୁଇଦିନା କନ୍ଧରାଜ୍ୟ’ରେ ଏ ସମସ୍ତ ବିଷୟ ଗୀତ ଆକାରରେ ବର୍ଣ୍ଣିତ ହୋଇଥିବା ଦେଖାଯାଏ । ଯଥା-


ତୁମର ମହିମା ଜାଣି ବଉଦ ରାଜନ

ନେବା ପାଇଁ ସ୍ଥିର କଲେ ତାଙ୍କର ଭୁବନ

ସୈନ୍ୟବଳ ଧରିଆସି ତୁମ୍ଭଙ୍କୁ ଆଣିଲେ

ତେଜମାହା ଗ୍ରାମଠାରେ ଆଶ୍ରୟ ଘେନିଲେ

ତେଜମାହା ଗ୍ରାମଠାରୁ ବିଦାୟ ଘେନିଲେ

ବଲସକୁମ୍ପା ଗ୍ରାମରେ ଆଶ୍ରିତ ବାନ୍ଧିଲେ ।

ବଲସ୍‌କୁମ୍ପାରୁ ଯାଇ ପୁରୁଣା କଟକେ

ଆଶ୍ରିତ ଘେନିଲେ ମା’ଗୋ ବଉଦ ନିକଟେ

ବଉଦ ଗଡରେ ଯାଇ ସ୍ଥାପନା କରିଲେ

ବରାଳ ଦେବୀ ନାମରେ ନାମ ଖ୍ୟାତ ହେଲେ ।


କନ୍ଧମାଳରୁ ବୌଦ୍ଧ ଯିବା ସମୟରେ ରାଜା ଯେଉଁ ଯେଉଁ ସ୍ଥାନମାନଙ୍କରେ ଆଶ୍ରୟ ନେଇଥିଲେ, ଯଥା ତେଜମାହା (ବନ୍ଧଗଡ) ବଲସ୍‌କୁମ୍ପା ଏବଂ ପୁରୁଣା କଟକ ଇତ୍ୟାଦି ସ୍ଥାନମାନଙ୍କରେ ମାଆଙ୍କର ନିତ୍ୟ ପୂଜା ସମାପନ କରିଥିଲେ । ତେଣୁ ସେ ସମସ୍ତ ସ୍ଥାନକୁ ଅଦ୍ୟାବଧି ବରାଳଦେବୀଙ୍କ ପୂଜାପୀଠଭାବେ ବିଶ୍ୱାସ କରି ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସବୁଠାରୁ ବଡକଥା ହେଲା କନ୍ଧମାଳର ଅଧିଷ୍ଠାତ୍ରୀ ଦେବୀଭାବେ ସମଗ୍ର କନ୍ଧମାଳବାସୀ ମାଆଙ୍କୁ ଗ୍ରହଣ କରିଛନ୍ତି । ଏହାକୁ ‘ରାଜାନୁଗତ ଧର୍ମ’ ବୋଲି ମଧ୍ୟ କୁହାଯାଏ । ରାଜାଙ୍କ ଦ୍ୱାରା ପୂଜିତା ମାଆ ବରାଳ ଦେବୀ ସମଗ୍ର କନ୍ଧମାଳବାସୀଙ୍କ ଦ୍ୱାରା ମଧ୍ୟ ପୂଜିତା ହେଲେ। ମହାସିଙ୍ଗି, ତେଜମାହା (ବନ୍ଧଗଡ) ଏବଂ ବଲସ୍‌କୁମ୍ପାରେ ସେ ‘ବରାଳ ଦେବୀ’ ନାମରେ, ପୁରୁଣା କଟକରେ ମାଆ 'ଭୈରବୀ’ ନାମରେ, ବୌଦ୍ଧଗଡରେ ମାଆ ‘ସୁରସୁରୀ’ ଏବଂ 'ବରାଳଦେବୀ’ ନାମରେ ତଥା ବନ୍ଦୁଲିଗ୍ରାମରେ ‘ଅନ୍ଧାର ବାଉତୀ’ ନାମରେ ଦେବୀ ପୂଜା ପାଇଁ ଆସୁଛନ୍ତି ।


'ଜେନାମୁଠା କନ୍ଧମାନେ ପ୍ରତିମୂର୍ତ୍ତି ନେଲେ

ବନ୍ଦୁଲି ଗ୍ରାମରେ ସ୍ଥାପି ପୂଜା ଆରମ୍ଭିଲେ

ବନ୍ଦୁଲି ଗ୍ରାମରୁ ମାଗୋ ଗୋଛାପଡା ଆଣି

ସ୍ଥାପନ କରିଣ ମାଗୋ ପୂଜନ୍ତି ଅକ୍ଷଣୀ’

(କୁଇଦିନା କନ୍ଧରାଜ୍ୟ-ସୁଦନ କହଁର)


ଏ ସମସ୍ତ ପୀଠରେ ଭିନ୍ନ ଭିନ୍ନ ଦିନରେ ମାଆଙ୍କର ଯାତ୍ରା ଏବଂ ପୂଜାର ବିଧାନ କରାଯାଇଛି। ବିଶେଷ କରି ମହାନବମୀ ତିଥିରେ ଏବଂ ଦଶହରା ଦିନ ମହାସିଙ୍ଗି ଏବଂ ବଲସ୍‌କୁମ୍ପାଠାରେ ମାଆଙ୍କର ପୂଜାପର୍ବ ପାଳନ କରାଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ଅତୀତରେ କୁଆଡେ ମଣିଷ ବଳି ଦେବୀଙ୍କୁ ପୂଜା କରାଗଲା । ବର୍ତ୍ତମାନ ପ୍ରଶାସନ ତରଫରୁ ଏସବୁ ବଳି ନଦେବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।


ଏତଦ୍‌ବ୍ୟତୀତ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଭିନ୍ନ ଭିନ୍ନ ଦେବୀଙ୍କର ପୂଜା ପରମ୍ପରାକ୍ରମେ ଚାଲିଆସିଛି । ଯେପରି ଖଜୁରିପଡାରେ ମା’ ସୁରାଦେଈ, ଶଙ୍କରାଖୋଲ ଏବଂ ଫିରିଙ୍ଗିଆରେ ମାଆ ପିତାବଳୀ, ତୁମୁଡିବନ୍ଧରେ ମାଆ ଭୀମାଭୈରବୀ, ମିଣିଆଠାରେ ମାଆ ପାଟଖଣ୍ଡା, ବାଲିଗୁଡା ଏବଂ ଦାରିଙ୍ଗିବାଡିଠାରେ ମଧ୍ୟ ମାଆ ପାଟଖଣ୍ଡା, ଫୁଲବାଣୀଠାରେ ମାଆ ନାରାୟଣୀ, ବ୍ରାହ୍ମଣୀଦେବୀ, ବ୍ୟାଘ୍ରଦେବୀ ଏବଂ ଗ୍ରାମଦେବତୀ, ନୂଆଗାଁରେ ଧୁଙ୍ଗିଆଦେବୀ, ବନ୍ଦୁଲିଗ୍ରାମରେ ମାଆ ଅନ୍ଧାରବାଉତୀ ଏବଂ ଗୋଛାପଡାରେ ମାଆ ବରାଳଦେବୀ ନାମରେ ଶକ୍ତି ପୂଜାର ବିଧାନ ରହି ଆସିଛି । ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗା ପୂଜା ସହିତ ବାଗ୍‌ଦେବୀ, ଦକ୍ଷିଣକାଳୀ, ବେଡିକାଳୀ, ରୁଦ୍ରକାଳୀ, ପଶ୍ଚିମାକାଳୀ, ନରଘଣ୍ଟା ଇତ୍ୟାଦି ଦେବୀଙ୍କ ବିଭିନ୍ନ ସମୟରେ ପୂଜା କରାଯାଇଥାଏ ।


ଆଦିବାସୀ ଦେବୀଙ୍କ ପୂଜା ସମୟରେ ମନ୍ତ୍ର, ତନ୍ତ୍ର ବା ଯନ୍ତ୍ରର ଆବଶ୍ୟକ ନଥାଏ । ଅତି ଆପଣାର ଘର ଲୋକଙ୍କ ନିକଟରେ ବସି ଖାଇବାକୁ ଦେଲା ଭଳି, ସେମାନଙ୍କ କଥିତ ଭାଷାରେ କନ୍ଧମାନେ ମାଆଙ୍କୁ କହିଥାନ୍ତି- ‘ମାଆ ପଣାପାଣି ଭୋଗରାଗ ଖାଇ ସନ୍ତୁଷ୍ଟ ହୋଇ ଥାଅ ଏବଂ ଆମ ଗାଁର ସମସ୍ତ ପିଲାଛୁଆ, ଗାଈବଳଦ, କୁକୁଡା, ଛେଳି ଏବଂ ଫସଲ ପ୍ରତି ଶୁଭଦୃଷ୍ଟି ରଖିଥା।


ଏ ସମସ୍ତ ପରମ୍ପରାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ କନ୍ଧମାଳ ଜିଲ୍ଲା ମଧ୍ୟ ଶକ୍ତି ପୂଜାର ଏକ ପ୍ରାଚୀନ କ୍ଷେତ୍ର ଅଟେ ।